ପୁରୀ : ରତ୍ନ ସିଂହାସନକୁ ବାହୁଡ଼ିଲେ ମହାପ୍ରଭୁ । ଶେଷ ହେଲା ଘୋଷଯାତ୍ରା । ଭକ୍ତି, ଭାବ ଓ ଆବେଗର ଅପୂର୍ବ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ । ୧୨ ଦିନର ଲୀଳାଖେଳା ଶେଷ କରି ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ବିଜେ କରି ପୁଣି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି । ଏହା ସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଭାବପୂର୍ଣ୍ଣ ସମାପ୍ତି ଘଟିଛି ।
ଗତକାଲି ରଥ ଉପରେ ସନ୍ଧ୍ୟାକାଳୀନ ନୀତିକାନ୍ତି ଶେଷ ହେବା ପରେ ଗୋଟି ପହଣ୍ଡିରେ ଠାକୁରମାନଙ୍କୁ ଶ୍ରୀମନ୍ଦିର ଭିତରକୁ ବିଜେ କରାଯାଇଥିଲା । ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରକୁ ପ୍ରବେଶ କରିଥିଲେ। ଘଣ୍ଟ, ଘଣ୍ଟା, କାହାଳୀ ଓ ଶଙ୍ଖଧ୍ୱନି ସହ ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀମନ୍ଦିର ପରିସର । ନୀଳାଦ୍ରି ବିଜେର ସବୁଠୁ ରୋଚକ ପରମ୍ପରା ହେଉଛି ଲକ୍ଷ୍ମୀ-ନାରାୟଣ ବଚନିକା । ମହାପ୍ରଭୁ ତାଙ୍କୁ ସାଙ୍ଗରେ ନନେଇ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଥାନ୍ତି ମା’ ଲକ୍ଷ୍ମୀ ।
ମହାପ୍ରଭୁଙ୍କ ପାଇଁ ସିଂହଦ୍ୱାର ବନ୍ଦ ହୁଏ । ସେବାୟତଙ୍କ ମାଧ୍ୟମରେ ଚାଲେ ମାନ-ଅଭିମାନର ରୋଚକ ବଚନିକା । ଶେଷରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ଅର୍ପଣ କରାଯାଏ ରସଗୋଲା । ମା’ଙ୍କ ଅଭିମାନ ଭାଙ୍ଗିବା ପରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରବେଶର ବାଟ ଫିଟେ । ଏହି ଅନନ୍ୟ ଜଗନ୍ନାଥ ସଂସ୍କୃତିକୁ ସ୍ମରଣୀୟ କରି ନୀଳାଦ୍ରି ବିଜେ ଦିନ ପାଳିତ ହୋଇଛି ‘ରସଗୋଲା ଦିବସ’ ।
ଶେଷରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀକୁ ବିଜେ କରିବା ସହ ଘୋଷଯାତ୍ରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମହାପ୍ରଭୁ ପୁଣି ରତ୍ନ ସିଂହାସନରେ ବିରାଜିବା ପରେ ଶ୍ରୀମନ୍ଦିରର ନିୟମିତ ନୀତିକାନ୍ତି ଓ ସାଧାରଣ ଦର୍ଶନ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ଚାଲିବ ।
25 Shares
319 Views
41 Loves