ସରଳ ହେଲା ପ୍ରାକ୍-ରେରା ଆପାର୍ଟମେଣ୍ଟ ପଞ୍ଜୀକରଣ

1 min read
Share Like

ଭୁବନେଶ୍ୱର : ଓଡ଼ିଶାର ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାଦ୍ୱାରା ୫ ଅକ୍ଟୋବର, ୨୦୧୬ ରେ ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ ବା ‘ରେରା’ ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ । ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ ପ୍ରଣୟନ କରାଯାଇଥିଲା। ତଥାପି, ପ୍ରାକ୍-ରେରା ପ୍ରକଳ୍ପଗୁଡ଼ିକରେ ବହୁ ସଂଖ୍ୟକ ଆପାର୍ଟମେଣ୍ଟ କ୍ରେତା ହସ୍ତାନ୍ତର ଦଲିଲ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ୩ ଡିସେମ୍ବର, ୨୦୨୫ ରେ ଜାରି ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବ୍ୟକ୍ତିଗତ ଆଲଟିମାନଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ରହିଯାଇଥିବା ଆପାର୍ଟମେଣ୍ଟଗୁଡ଼ିକ ଏହାର ପରିସରଭୁକ୍ତ ହୋଇନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ର ଧାରା ୩୫ ଅନ୍ତର୍ଗତ ତାଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି ଏବଂ ଯୋଗ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହାଫଳରେ ଏଭଳି ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ସମାଧାନ ହୋଇପାରିବ। ନିର୍ଦ୍ଦେଶନାମା ଅନୁଯାୟୀ, ଏହି କୋହଳ ବ୍ୟବସ୍ଥା କେବଳ ୫ ଅକ୍ଟୋବର, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ। ଏହି ସୁବିଧା କେବଳ ସେହି କ୍ଷେତ୍ରରେ ଉପଲବ୍ଧ ହେବ ଯେଉଁଠାରେ ପ୍ରକଳ୍ପର ଅତିକମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ୟୁନିଟ୍ ରେରା କଟ୍-ଅଫ୍ ତାରିଖ କିମ୍ବା ତା’ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ ମାଧ୍ୟମରେ ହସ୍ତାନ୍ତର କରାଯାଇ ସାରିଥିବ। ଏହା ବ୍ୟତୀତ, ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟଟି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ କିମ୍ବା ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୫୬ ଅଧୀନରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଅନୁମୋଦିତ ବିଲ୍ଡିଂ ପ୍ଲାନର  ଅଂଶ ବିଶେଷ ହୋଇଥିବା ଆବଶ୍ୟକ। ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କ୍ରେତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ, ପ୍ରମୋଟର କିମ୍ବା ଜମି ମାଲିକମାନଙ୍କୁ ପ୍ରକଳ୍ପ ପରିସର ମଧ୍ୟରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ହେବ ।

ଅବଶିଷ୍ଟ ବିକ୍ରି ହୋଇନଥିବା ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ଦଲିଲ ପଞ୍ଜୀକରଣ ପୂର୍ବରୁ, ଆଲଟି ଆସୋସିଏସନ ଠାରୁ ଏକ ଅନାପତ୍ତି ପ୍ରମାଣପତ୍ର  ହାସଲ କରିବାକୁ ହେବ, ଯାହା ପ୍ରମାଣିତ କରିବ ଯେ ଅନୁମୋଦିତ ପ୍ଲାନରେ ଥିବା ଆପାର୍ଟମେଣ୍ଟ ନମ୍ବର ସଠିକ୍ ଅଛି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ହେବ।

81 Shares
516 Views
11 Loves
❤️ Liked!

🗣️ Leave a Comment