ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୧୧ ଏକରରୁ ଅଧିକ ଜମିକୁ ନେଇ ରାଜସ୍ୱ ପରିଷଦର ସଦସ୍ୟ ସତ୍ୟବ୍ରତ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୧୧୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ରାଜସ୍ୱ ପରିଷଦ ପୂର୍ବତନ ଭୂ-ଅଭିଲେଖ ଏବଂ ବନ୍ଦୋବସ୍ତ ଆୟୁକ୍ତଙ୍କ ୧୯୮୯ ମସିହାର ଆଦେଶକୁ ରଦ୍ଦ କରିବା ସହିତ ରାଜ୍ୟ ସରକାରଙ୍କ ଅନୁମୋଦନ ସହିତ ପୁରୀ ଜିଲ୍ଲାପାଳ ଦାଖଲ କରିଥିବା ଦୁଇଟି ରିଭିଜନ୍ ମାମଲାକୁ ଅନୁମୋଦନ କରିଛନ୍ତି। ସରକାରୀ ସମ୍ପତ୍ତିର ସୁରକ୍ଷା, ଜମିର ମୂଳ ମାଲିକାନା ଏବଂ ପୁରୁଣା ରାଜସ୍ୱ ରେକର୍ଡର ବୈଧତା ଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଦେଖାଯାଉଛି। ନଭେମ୍ବର ୨୦୨୫ରେ ପୁରୀ ଜିଲ୍ଲାପାଳ ରାଜସ୍ୱ ପରିଷଦ ନିକଟରେ ଦୁଇଟି ରିଭିଜନ୍ ମାମଲା ଦାଖଲ କରିଥିଲେ।
ଜାନୁଆରୀ ମାସଠାରୁ ଏହି ମାମଲାଦ୍ୱୟର ବିସ୍ତୃତ ଶୁଣାଣି ହୋଇଥିଲା। ଜମିର ମୂଳ ଅଧିକାର, ପୁରୁଣା ହାତପଟ୍ଟାର ବୈଧତା, ପୂର୍ବରୁ ପ୍ରସ୍ତୁତ ରାଜସ୍ୱ ରେକର୍ଡ ଏବଂ ଦାବିର ଆଇନଗତ ଆଧାର ଭଳି ଜଟିଳ ପ୍ରସଙ୍ଗଗୁଡ଼ିକୁ ବିଚାରକୁ ନିଆଯାଇଥିଲା। ମାମଲାର ତଥ୍ୟ ଅନୁଯାୟୀ, କୋଣାର୍କ ମୌଜାର ବିବାଦୀୟ ଜମି ସାବିକ ରେକର୍ଡରେ ଅନାବାଦୀ/ପୁରାତନ ପତିତ ଭାବେ ଉଲ୍ଲେଖ ଥିଲା। ପରବର୍ତ୍ତୀ ସମୟରେ ଏହାର ଏକ ଅଂଶ ଭୂ-ଅଭିଲେଖ ଏବଂ ବନ୍ଦୋବସ୍ତ ଆୟୁକ୍ତଙ୍କ ଅଦାଲତରେ ୧୯୮୯ ମସିହାରେ ଜଣେ ଘରୋଇ ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ଭାବେ ରେକର୍ଡ ହୋଇଥିଲା। ତାଙ୍କ ପକ୍ଷରୁ ପୂର୍ବତନ ଜମିଦାରଙ୍କଠାରୁ ଦୁଇଟି ହାତପଟ୍ଟା ଜରିଆରେ ଜମି ମିଳିଥିବା ଦାବି କରାଯାଇଥିଲା।
କିନ୍ତୁ ମୂଳ ପ୍ରଶ୍ନ ଥିଲା – ସମ୍ପୃକ୍ତ ହାତପଟ୍ଟାଗୁଡ଼ିକ ଆଇନଗତ ଭାବେ ବୈଧ ଥିଲା କି? ଏବଂ ଯେଉଁ ବ୍ୟକ୍ତିଙ୍କଠାରୁ ଜମି ମିଳିଥିବା ଦାବି କରାଯାଉଛି, ତାଙ୍କର ସେହି ଜମି ହସ୍ତାନ୍ତର କରିବାର ଆଇନଗତ କ୍ଷମତା ଥିଲା କି? ରାଜସ୍ୱ ପରିଷଦ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଜମି ଦଖଲରେ ରଖିଥିଲେ, ଖଜଣା ଦେଇଥିଲେ କିମ୍ବା ରାଜସ୍ୱ ରେକର୍ଡରେ ତାଙ୍କ ନାମ ଥିଲେ ମଧ୍ୟ, କେବଳ ସେହି ତଥ୍ୟରୁ ମୂଳ ମାଲିକାନାର ଆଇନଗତ ଭିତ୍ତି ସ୍ୱତଃ ପ୍ରମାଣିତ ହୁଏ ନାହିଁ। ମୂଳରୁ ପ୍ରମାଣିତ ନହୋଇଥିବା ଅଧିକାରକୁ ପରବର୍ତ୍ତୀ ରେକର୍ଡ ମାତ୍ରରେ ବୈଧତା ଦିଆଯାଇପାରେ ନାହିଁ। ପରିଷଦ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାବିକ ଓ ହାଲ ରେକର୍ଡ, ନକ୍ସା, ଜମିର ପରିମାଣ ଓ ସୀମାକୁ ଯାଞ୍ଚ କରି ଆଇନ ଅନୁଯାୟୀ ଆବଶ୍ୟକ ରେକର୍ଡ ସଂଶୋଧନ କରାଯାଉ ଏବଂ ସ୍ଥଳରେ ଥିବା ସରକାରୀ ରାସ୍ତା ତଥା ଅନ୍ୟ ସରକାରୀ ବା ସାଧାରଣ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରାଯାଉ। ତୁରନ୍ତ ସରକାରୀ ଖାତାରୁ ଜମି ଫେରାଇବାକୁ ବନ୍ଦୋବସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
97 Shares
1203 Views
41 Loves