ରିପୋର୍ଟ ଗାଏବ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

1 min read
Share Like

ଭୁବନେଶ୍ୱର : ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ତଦନ୍ତ ସଂପର୍କିତ ଫାଇଲ ଗାଏବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାର ଫାଇଲଟି କେଉଁ ପରିସ୍ଥିତିରେ ଏବଂ କାହା ସମୟରେ ଗାଏବ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ଆନୁଷ୍ଠାନିକ ଭାବେ ଖୋଳତାଡ଼ ଆରମ୍ଭ କରିବ। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ରାତିରେ କନ୍ଧମାଳ ଜିଲ୍ଲା ଜଲସପଟ୍ଟା ଆଶ୍ରମ ଭିତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ କେତେକ ଆତତାୟୀ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଭୟଙ୍କର ସାମ୍ପ୍ରଦାୟିକ ହିଂସାକାଣ୍ଡ ବ୍ୟାପିଯାଇଥିଲା, ଯେଉଁଥିରେ ବହୁ ଲୋକ ନିଜର ଜୀବନ ହରାଇବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର କଟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍. ଆର୍. ନାଇଡୁଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ। ଏହି ‘ନାଇଡୁ କମିଶନ’କୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରିବା, ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପରଖିବା ଏବଂ ହିଂସାକାଣ୍ଡର ମୂଳ କାରଣ ଅନୁସନ୍ଧାନ କରିବାର ଦାୟିତ୍ୱ ଦିଆଯାଇଥିଲା।

ତେବେ ରିପୋର୍ଟ ଦାଖଲ ହେବା ପରେ ବି ତତ୍କାଳୀନ ସରକାର ଏହାକୁ ବିଧାନସଭାରେ ଉପସ୍ଥାପନ ନକରି ଚାପି ରଖିଥିବା ନେଇ ଦୀର୍ଘ ବର୍ଷ ଧରି ଅଭିଯୋଗ ହୋଇଆସୁଥିଲା। ରାଜ୍ୟରେ ବିଜେପି ସରକାର ଆସିବା ପରେ ନାଇଡୁ କମିଶନ ରିପୋର୍ଟର ଖୋଳତାଡ ଆରମ୍ଭ କରିଥିଲେ। ମାତ୍ର ଗୃହ ବିଭାଗରେ ସମ୍ପୃକ୍ତ ମୂଳ ଫାଇଲ ଖୋଜାଯିବା ସମୟରେ ତାହା ଗାଏବ ଥିବା ଜଣାପଡ଼ିଥିଲା।

87 Shares
1035 Views
51 Loves
❤️ Liked!

🗣️ Leave a Comment